କଳିଙ୍ଗ ଯୁଦ୍ଧ
Here is the complete text extracted from the document:
[Page 1 / 101]
[Image: Image of Emperor Ashoka with caption ଅଶୋକ]
ଏକ ଐତିହାସିକ
ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯ
କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ
ବ୍ୟକ୍ତିତ୍ଵ ହିସାବରେ ସମ୍ରାଟ ଅଶୋକ କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀ ଇତିହାସରେ ନିଜର ନାମକୁ ର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି । ତାଙ୍କ ରାଜନୈତିକ ଜୀବନରେ ସଂଘଟିତ ଏକମାତ୍ର ଯୁଦ୍ଧ କଳିଙ୍ଗ ଯୁଦ୍ଧର ଭୟାବହତା ଯେତିକି ଭୟଭୀତ କରାଇଥୁଲା, ଦେବାନାଂ ପ୍ରିୟଦର୍ଶୀ ହିସାବରେ ବିଶ୍ଵ ଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ ବିଶ୍ୱବାସୀଙ୍କୁ ସେତିକି ବିସ୍ମିତ କରିଥିଲା । ଖ୍ରୀ:ପୂ. ୨୭୩ରେ ସେ ସମ୍ରାଟ ରୂପେ ନିଜକୁ ଘୋଷଣା କରିଥିଲେ ମଧ୍ୟ ନିଜର ୯୯ ଭାଇଙ୍କୁ ହତ୍ୟାକରି ସେ ଖ୍ରୀ:ପୂ. ୨୬୯ରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଏହାର ୮ ବର୍ଷ ପରେ ଅର୍ଥାତ୍ ଖ୍ରୀ:ପୂ. ୨୬୧ରେ ସଂଘଟିତ ହୋଇଥୁଲା କଳିଙ୍ଗ ଯୁଦ୍ଧ । କଳିଙ୍ଗ ଯୁଦ୍ଧ ପରେ ସେ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ ହୋଇଥିଲେ ଏବଂ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ମନୋନିବେଶ କରିଥିଲେ । ତାଙ୍କରି ଉଦ୍ୟମରେ ଋଦ୍ଧିମନ୍ତ ହୋଇଥିଲା ଭାରତୀୟ କଳା, ସ୍ଥାପତ୍ୟ, ସାହିତ୍ୟ ଏବଂ ସଂସ୍କୃତି । ତାଙ୍କର ପ୍ରଜାନୁରଞ୍ଜନ ଶାସନ ତାଙ୍କୁ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ କରାଇପାରିଥିଲା ।
କଳିଙ୍ଗ ଯୁଦ୍ଧ
କଳିଙ୍ଗ ଯୁଦ୍ଧ କେବଳ ଭାରତ ଇତିହାସରେ ନୁହେଁ, ସମଗ୍ର ପୃଥିବୀ ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ପରିଗଣିତ । ଖ୍ରୀ:ପୂ. ୨୬୧ରେ ଏହି କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା । ପାକିସ୍ଥାନ ନିସ୍ଥାନରେ ଅବସ୍ଥିତ ଶାହାବାଜଗଡିଠାରୁ ମିଳିଥିବା ଅଶୋକଙ୍କ ତ୍ରୟୋଦଶ ଶିଳାଲେଖ (Rock Edict XIII) ଏହି ଯୁଦ୍ଧ ଉପରେ ଆଲୋକପାତ କରିଥାଏ ।
କଳିଙ୍ଗ ଯୁଦ୍ଧର କାରଣ :
କଳିଙ୍ଗ ଯୁଦ୍ଧ ପାଇଁ ଅନେକଗୁଡ଼ିଏ ଘଟଣା ଦାୟୀ । ଏହି ଯୁଦ୍ଧର କାରଣ ନିମ୍ନରେ ପ୍ରଦାନ କରାଗଲା ।
ରାଜନୈତିକ କାରଣ :
ଅଶୋକଙ୍କ ସମୟରେ ମଗଧ ସାମ୍ରାଜ୍ୟ କଳିଙ୍ଗକୁ ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣରେ ଘେରି ରହିଥିଲା । ମଗଧର ସୀମାରେ କଳିଙ୍ଗର ଏହି ଅବସ୍ଥିତି ମଗଧର ସ୍ଥିତି ପ୍ରତି ଏକ ବିପଦ ରୂପେ ପରିଗଣିତ ହେଉଥିଲା । ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ତାଙ୍କ ପୁତ୍ର ଅଶୋକଙ୍କ ପିତା ବିନ୍ଦୁସାର
[Page 2 / 102]
102 | ଭାରତ ଇତିହାସ
[Image: Map showing ଖ୍ରୀ.ପୂ. ୨୬୧ରେ - କଳିଙ୍ଗର ସ୍ଥିତି]
କଳିଙ୍ଗ ଆକ୍ରମଣ କରିପାରି ନଥିଲେ । ପ୍ରଫେସର D.R. Bhandarkarଙ୍କ ମତରେ କଳିଙ୍ଗ ଦାକ୍ଷିଣାତ୍ୟରେ ଥିବା ଶକ୍ତିଶାଳୀ ଚୋଳ ରାଜ୍ୟ ସହିତ ମିଶି ବହୁମାତ୍ରାରେ ଶକ୍ତିଶାଳୀ ହୋଇ ମଗଧ ଆକ୍ରମଣ କରିବାର ପ୍ରଚ୍ଛନ୍ନ ଭୟ ହୁଏତ ଅଶୋକଙ୍କ ମନକୁ ଆଚ୍ଛାଦିତ କରିଥିଲା । ସେଥିପାଇଁ ମଗଧ ସୀମାରେ ଅବସ୍ଥିତ କଳିଙ୍ଗ ରାଜ୍ୟକୁ ପରାଜିତ କରି ମୌର୍ଯ୍ୟ ସାମ୍ରାଜ୍ୟରେ ମିଶେଇ ଦେବା ପାଇଁ ଅଶୋକ ମନସ୍ଥ କରିଥିଲେ ।
ଆର୍ଥନୀତିକ କାରଣ :
କଳିଙ୍ଗର ସମୃଦ୍ଧି ମଗଧ ସାମ୍ରାଜ୍ୟର ଚକ୍ଷୁଶୂଳ ହୋଇପଡ଼ିଥିଲା । ସୁଦୂର ବାଲି, ଜାଭା, ମାଳୟ ଇତ୍ୟାଦି ଦ୍ୱୀପଗୁଡ଼ିକ ସହିତ ନୌବାଣିଜ୍ୟ କରି କଳିଙ୍ଗ ସମୃଦ୍ଧ ହେବାକୁ ଲାଗିଲା । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଜଣାଯାଏ ଯେ କଳିଙ୍ଗ ତୁଳନାରେ ମଗଧର ନୌସେନା ଦୁର୍ବଳ ଥିଲା । ମଗଧର ନୌସେନା ବଡ଼ବଡ଼ ନଦୀ ବକ୍ଷରେ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପହରାଦେବାବେଳେ କଳିଙ୍ଗର ଅଧିବାସୀମାନେ ସମୁଦ୍ର ଅଭ୍ୟନ୍ତରରେ ବିଚରଣ କରି ଦରିଆପାରି ରାଜ୍ୟଗୁଡ଼ିକ ସହିତ ରାଜନୈତିକ, ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ରକ୍ଷା କରିବାକୁ ସମର୍ଥ ଥିଲେ । ଅଶୋକ ଏହା ଠିକ୍ ରୂପେ ଉପଲବ୍ଧ୍ କରିଥିଲେ ଏବଂ କଳିଙ୍ଗ ଆକ୍ରମଣ କରି କଳିଙ୍ଗବାସୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ମନସ୍ଥ କରିଥିଲେ ।
[Page 3 / 103]
କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 103
ବାଣିଜ୍ୟଗତ କାରଣ :
କଳିଙ୍ଗର ଆର୍ଥନୀତିକ ସମୃଦ୍ଧି ସହିତ ଏହାର ବାଣିଜ୍ୟିକ କାରବାର ଅଶୋକଙ୍କୁ କ୍ଷୁବ୍ଧ କରିଥିଲା । ବାଣିଜ୍ୟକ୍ଷେତ୍ରରେ ମଗଧର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ଥିଲା କଳିଙ୍ଗ । ଗାଙ୍ଗେୟ ଉପତ୍ୟକାରୁ ସୁଦୂର ଦାକ୍ଷିଣାତ୍ୟ ପର୍ଯ୍ୟନ୍ତ ସ୍ଥଳପଥରେ ପ୍ରମୁଖ ବାଣିଜ୍ୟ ପଥମାନ କଳିଙ୍ଗ ମଧ୍ୟ ଦେଇ ଲମ୍ବି ଯାଇଥିଲା । ମଗଧର ପ୍ରଭୂତ ସମ୍ବଳ ଥିଲେ ମଧ୍ୟ ତଥା ବହିଃ ଦେଶଗୁଡ଼ିକ ସହିତ ଏହାର ଘନିଷ୍ଠ ସମ୍ପର୍କ ରହିଥିଲେ ମଧ୍ୟ ବାଣିଜ୍ୟିକ ପଥର ସୁବିଧା ନ ଥିବା ହେତୁ ଏହାର ବ୍ୟବସାୟ ଯଥେଷ୍ଟ ପରିମାଣରେ ବାଧାପ୍ରାପ୍ତ ହେଉଥିଲା । କଳିଙ୍ଗର ଏହି ବାଣିଜ୍ୟିକ ସମୃଦ୍ଧି ମଗଧ ପକ୍ଷେ ଅସହ୍ୟ ହୋଇପଡ଼ିଲା । ଏଭଳି ଏକ ବିଶାଳ ସାମ୍ରାଜ୍ୟର ଆର୍ଥନୀତିକ ମାନଦଣ୍ଡକୁ କଳିଙ୍ଗ ଭଳି ସାମାନ୍ୟ ଛୋଟ ରାଜ୍ୟଟେ ଦୋହଲାଇ ଦେଇଥିବାରୁ ଅଶୋକ କ୍ଷୁବ୍ଧ ହୋଇ କଳିଙ୍ଗ ଆକ୍ରମଣ କରିଥିଲେ ।
ନାଗମାନଙ୍କ ଦ୍ବାରା ଅଶୋକଙ୍କ ଅଳଙ୍କାର ଅପହରଣ :
ତିବ୍ବତୀୟ ଲେଖକ ଲାମା ତାରାନାଥଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ ନାଗମାନେ ଅଶୋକଙ୍କ ଆଭୂଷଣମାନ ଲୁଟି ନେଇଥିଲେ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ଐତିହାସିକ P.H.L. Eggermont ନାଗମାନଙ୍କୁ କଳିଙ୍ଗର ସାମୁଦ୍ରୋପଜୀବୀ ହିସାବରେ ବର୍ଣ୍ଣନା କରିଛନ୍ତି । ସେମାନେ ସମୁଦ୍ରରେ ଅଶୋକଙ୍କ ନୌକାକୁ ଆକ୍ରମଣ କରି ତାଙ୍କଠାରୁ ଅଳଙ୍କାରମାନ ଲୁଟି ନେଇଥିବା ଯୋଗୁଁ ଅଶୋକ କଳିଙ୍ଗ ସହ ଯୁଦ୍ଧ କରିବା ପାଇଁ ଆଗଭର ହୋଇଥିଲେ । ଅବଶ୍ୟ ଅନ୍ୟାନ୍ୟ ଉପାଦାନଗୁଡ଼ିକର ଅଭାବରେ ଐତିହାସିକମାନେ ଏହି ଘଟଣା ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ ବା ଏହାକୁ ସତ୍ୟବୋଲି ଧରିନିଅନ୍ତି ନାହିଁ ।
ଧର୍ମଗତ କାରଣ :
ବୋଧହୁଏ ଧର୍ମ ସମ୍ପର୍କିତ କାରଣ ଅଶୋକଙ୍କୁ କଳିଙ୍ଗ ଆକ୍ରମଣ ପାଇଁ ବାଧ୍ଯ କରିଥିଲା । ଉପାଦାନଗୁଡ଼ିକରୁ ଜଣାଯାଏ ଯେ ଅଶୋକ କଳିଙ୍ଗ ଆକ୍ରମଣ ପୂର୍ବରୁ ବ୍ରାହ୍ମଣ୍ୟ ଧର୍ମ (ଶିବ ଉପାସନା) ଅନୁସରଣ କରୁଥିଲେ । କଳିଙ୍ଗରେ ସେତେବେଳେ ବୌଦ୍ଧ ଅଥବା ଜୈନ ଧର୍ମ ରହିଥିବାର ଅନୁମାନ କରାଯାଇପାରେ । ସେଥିପାଇଁ ସମ୍ଭବତଃ, ଅଶୋକ ଏକ ଧର୍ମଯୁଦ୍ଧ କରି କଳିଙ୍ଗର ଅଧୂବାସୀମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇବାର ଅଭିପ୍ସା ନେଇ କଳିଙ୍ଗ ଆକ୍ରମଣ କରିଥିଲେ ।
କାରୁବାକୀ କିମ୍ବଦନ୍ତୀ :
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଧୀବରଗୋଷ୍ଠୀ ମଧ୍ୟରେ କାରୁବାକୀ କିମ୍ବଦନ୍ତୀ ବହୁଳଭାବେ ପ୍ରଚଳିତ । ଏହି କିମ୍ବଦନ୍ତୀ ଅନୁସାରେ ଧୀବରମାନଙ୍କର ମୁଖ୍ୟଙ୍କ କନ୍ୟା କାରୁବାକୀ ଥିଲେ କଳିଙ୍ଗ ରାଜକୁମାରଙ୍କ ବାଗ୍ଦତ୍ତା । ତାଙ୍କ ରୂପଲାବଣ୍ୟ ସନ୍ଦର୍ଶନରେ ଅଶୋକ ତାଙ୍କ ପ୍ରତି ଆସକ୍ତ ହୋଇପଡ଼ିଥିଲେ । ତାଙ୍କୁ ଲାଭ କରିବାକୁ ହେଲେ କଳିଙ୍ଗ ସହ ଯୁଦ୍ଧ କରିବା ଏକାନ୍ତ ଭାବେ ଆବଶ୍ୟକ ଥିଲା । ଅବଶ୍ୟ ଅଶୋକଙ୍କ ଚରିତ୍ରରେ ଏହି ଦୁର୍ବଳତା ଥିଲା । ସେ ଉଜ୍ଜୟିନୀରେ କୁମାର ରୂପେ ଅବସ୍ଥାପିତ ଥିବା ସମୟରେ ଦେବୀଙ୍କ ସହ ପ୍ରଣୟ ଲୀଳା ରଚି ତାଙ୍କୁ ବିବାହ କରିଥିଲେ । ତେଣୁ ସେହି ଦୁର୍ବଳତା ଯେ ତାଙ୍କୁ କାରୁବାକୀଙ୍କ ପ୍ରତି ଆକୃଷ୍ଟ କରିଥିଲା—ଏଥିରେ ସନ୍ଦେହର ଅବକାଶ ନାହିଁ ।
କଳିଙ୍ଗ ଯୁଦ୍ଧ :
ବହୁ ପ୍ରତୀକ୍ଷିତ କଳିଙ୍ଗ ଯୁଦ୍ଧ ଖ୍ରୀ:ପୂ. ୨୬୧ରେ ଅର୍ଥାତ୍ ଅଶୋକଙ୍କ ରାଜ୍ୟାଭିଷେକର ଅଷ୍ଟମ ବର୍ଷରେ ସଂଘଟିତ ହୋଇଥିଲା । ଅଶୋକ ତାଙ୍କର ବିରାଟ ସୈନ୍ୟବାହିନୀ ସହ କଳିଙ୍ଗ ଆକ୍ରମଣ କରିଥିଲେ । କଳିଙ୍ଗବାସୀମାନେ ପ୍ରବଳ ପରାକ୍ରମ ସହିତ ଅଶୋକଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶୋଚନୀୟ ରୂପେ ପରାଜୟ ବରଣ କରିଥିଲେ । ତ୍ରୟୋଦଶ ଶିଳାଲେଖର ବର୍ଣନା ଅନୁସାରେ ଏହି ଯୁଦ୍ଧରେ କଳିଙ୍ଗ ପକ୍ଷରୁ ୧,୦୦,୦୦୦ ସୈନ୍ୟ ନିହତ ହୋଇଥିଲେ, ୧,୫୦,୦୦୦ ସୈନ୍ୟ ଅଶୋକଙ୍କ ହାତରେ ବନ୍ଦୀ ହୋଇଥିଲେ ଏବଂ ସେହି ସଂଖ୍ୟକ (୧,୦୦,୦୦୦ + ୧,୫୦,୦୦୦ = ୨,୫୦,୦୦୦) କଳିଙ୍ଗ ସୈନ୍ୟ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିହ୍ନ ହୋଇଯାଇଥିଲେ । ଏହି ଯୁଦ୍ଧ ଭୁବନେଶ୍ଵର ନିକଟବର୍ତ୍ତୀ ଦୟାନଦୀ କୂଳରେ ଘଟିଥିଲା ଏବଂ ଦୟାନଦୀର ଜଳ ରକ୍ତରଞ୍ଜିତ ହୋଇଥିଲା ।
[Page 4 / 104]
104 | ଭାରତ ଇତିହାସ
ଏହି ଯୁଦ୍ଧରେ ମର୍ମାହତ ହୋଇ ଅଶୋକ ଜୀବନକାଳ ମଧ୍ୟରେ ଆଉ ଯୁଦ୍ଧ ନ କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ଉପଗୁପ୍ତ ନାମକ ବୌଦ୍ଧ ସନ୍ନ୍ୟାସୀ (ମତାନ୍ତରେ ମୋଗଲି-ପୁତ୍ତ-ତିସ୍ସା ବା ନ୍ୟଗ୍ରୋଧ)ଙ୍କ ଦ୍ବାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।
କଳିଙ୍ଗ ଯୁଦ୍ଧର ଫଳାଫଳ :
କଳିଙ୍ଗ ଯୁଦ୍ଧର ଫଳାଫଳ ଥିଲା ସୁଦୂର ପ୍ରସାରୀ । ଏହି ଯୁଦ୍ଧ ଭାରତ ତଥା ପୃଥିବୀ ଇତିହାସର ଏକ ଅଭୂତପୂର୍ବ ଘଟଣା ରୂପେ ପରିଗଣିତ ହୋଇଥିଲା । ଏହା ଅଶୋକଙ୍କ ଜୀବନରେ ସମ୍ପୂର୍ଣ ପରିବର୍ତ୍ତନ ଆଣିଥିଲା ବୋଲି ସର୍ବଜନ ବିଦିତ । ମାତ୍ର ଏହା ଯେ କେତେଦୂର ସତ୍ୟ — ଏହା ପର୍ଯ୍ୟାଲୋଚନାର ବିଷୟ । କଳିଙ୍ଗ ଯୁଦ୍ଧର ଫଳାଫଳ ନିମ୍ନରେ ବର୍ଣିତ ।
ଅଶୋକଙ୍କ ପରିବର୍ତ୍ତନ :
ରକ୍ତାକ୍ତ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ ଗଭୀର ରେଖାପାତ କରିଥିଲା । ଏହା ତାଙ୍କର ହୃଦୟକୁ ଆନ୍ଦୋଳିତ କରିଥିଲା । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ ସେ ଉଲ୍ଲେଖ କରିଛନ୍ତି—
‘‘ଅବିଜିତ ରାଷ୍ଟ୍ର (କଳିଙ୍ଗ)କୁ ବିଜୟ କରି କର୍ଚ ଏବଂ ସଂଘଟିତ ହୋଇଥିବା ହତ୍ୟା, ମୃତ୍ୟୁ, ଦେଶାନ୍ତର ଇତ୍ୟାଦିର ସନ୍ଦର୍ଶନ ଦେବାନାଂପ୍ରିୟ (ଅଶୋକ)ଙ୍କ ପକ୍ଷେ ଚରମ ଦୁଃଖଦାୟକ ହୋଇଥିଲା ।’’
ଏହି ମାନସିକ ପରିବର୍ତନ ଫଳରେ ଦେବାନାଂପ୍ରିୟ ପ୍ରିୟଦର୍ଶୀ ବା ଅଶୋକ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ ହୋଇଥିଲେ । ତରବାରୀର ଜୟ ପ୍ରକୃତ ଜୟ ନୁହେଁ ବରଂ ମଣିଷ ହୃଦୟକୁ ଜୟ କରିବା ପ୍ରକୃତ ଜୟ ବୋଲି ସେ ହୃଦ୍ବୋଧ କରିଥିଲେ ।
ଅଶୋକଙ୍କ ଦ୍ୱାରା ବୌଦ୍ଧଧର୍ମ ଗ୍ରହଣ :
କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇପଡ଼ିଲେ । ସେ ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତ ଅଥବା ନିଜ ପୁତୁରା ନିଗ୍ରୋଧ ଅଥବା ମୋଗଲି-ପୁତ୍ତ-ତିସ୍ସାଙ୍କ ଦ୍ବାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । ଏକମାତ୍ର ବୌଦ୍ଧଧର୍ମ ଯେ ତାଙ୍କୁ ଶାନ୍ତି ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ ସେ ଏକଥା ହୃଦ୍ବୋଧ କରିଥିଲେ । ତେଣୁ ସେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହେବା ସହିତ ତାହାକୁ ଗ୍ରହଣ କରିଥିଲେ ଏବଂ ନିଜକୁ ବୁଦ୍ଧଙ୍କର ପରମ ଉପାସକ ହିସାବରେ ଉପସ୍ଥାପନ କରିଥିଲେ । ଅବଶ୍ୟ ଏହି ପରିବର୍ତ୍ତନ ବାହ୍ୟ ଥିଲା । ବିସ୍ତୃତ ମୌର୍ଯ୍ୟ ସାମ୍ରାଜ୍ୟକୁ ନିର୍ବିବାଦରେ ଉପଭୋଗ କରିବାର ଲାଳସା ତାଙ୍କ ମନ ଭିତରେ ଭରି ରହିଥୁଲା ।
ବିହାର ଯାତ୍ରା ବନ୍ଦ ଓ ଧର୍ମଯାତ୍ରା ଆରମ୍ଭ :
କଳିଙ୍ଗ ଯୁଦ୍ଧ ପୂର୍ବରୁ ଅଶୋକ ବିଳାସପୂର୍ଣ ଜୀବନ ଅତିବାହିତ କରୁଥିଲେ । ଅନେକ ସମୟରେ ସେ ଶୀକାର ନିମିତ୍ତ ବିହାର ଯାତ୍ରା କରୁଥିଲେ । ମାତ୍ର ବୌଦ୍ଧଧର୍ମର ଦୀକ୍ଷିତ ହେବା ପରେ ସେ ପଶୁବଧ ନିଷିଦ୍ଧ କରିଥିବାର ବର୍ଣ୍ଣନା ତାଙ୍କର ପ୍ରଥମ ଶିଳାନୁଶାସନରୁ ମିଳିଥାଏ । କେବଳ ସେତିକି ନୁହେଁ, ସେ ବିହାର ଯାତ୍ରାକୁ ବନ୍ଦ କରିଦେଇ ଧର୍ମଯାତ୍ରାର ଆରମ୍ଭ କରିଥିଲେ । ବୁଦ୍ଧଙ୍କ ଜନ୍ମ, ନିର୍ବାଣ, ମୁଖ ଇତ୍ୟାଦି ସହିତ ସଂଶ୍ଳିଷ୍ଟ ସ୍ଥାନଗୁଡ଼ିକ ସେ ପରିଦର୍ଶନ କରିଥିଲେ । ସେ ଲୁମ୍ବିନୀ, ସାରନାଥ ଇତ୍ୟାଦି ସ୍ଥାନ ଭ୍ରମଣ କରିଥିବା କଥା ତାଙ୍କର ଶିଳାନୁଶାସନରୁ ଜଣାପଡ଼ିଥାଏ ।
ବୌଦ୍ଧଧର୍ମର ପ୍ରସାର ପାଇଁ ପଦକ୍ଷେପ :
କଳିଙ୍ଗ ଯୁଦ୍ଧ ପରେ ଅଶୋକ ଯେ କେବଳ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ ତାହା ନୁହେଁ, ଏହି ଧର୍ମର ପ୍ରଚାର ଏବଂ ପ୍ରସାର ପାଇଁ ସେ ବିହିତ ପଦକ୍ଷେପ ନେଇଥିଲେ । ତାଙ୍କରି ପ୍ରଚେଷ୍ଟାରେ ଭାରତ ଏବଂ ଭାରତ ବାହାରେ ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା । ତାଙ୍କରି ଉଦ୍ଯୋଗରେ ଖ୍ରୀ:ପୂ. ୨୫୧ରେ ପାଟଳୀପୁତ୍ରଠାରେ ‘ତୃତୀୟ ବୌଦ୍ଧ ସମ୍ମିଳନୀ’ ଆହୂତ ହୋଇଥିଲା । ଏହି ସମ୍ମିଳନୀର କାର୍ଯ୍ୟକ୍ରମ ଦୀର୍ଘ ନଅମାସ ଧରି ଚାଲୁ ରହିଥିଲା । ସିଂହଳର ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ମୋଗଲି-ପୁତ୍ତ-ତିସ୍ସା ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଶେଷରେ ମୋଗଲି-ପୁତ୍ତ-ତିସ୍ସାଙ୍କ ନିର୍ଦ୍ଦେଶରେ
[Page 5 / 105]
କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 105
ନିର୍ଦ୍ଦେଶରେ ଭାରତ ତଥା ଭାରତ ବାହାରକୁ ଧର୍ମପ୍ରଚାରକମାନଙ୍କୁ ବୌଦ୍ଧଧର୍ମ ପ୍ରଚାର ପାଇଁ ପ୍ରେରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମଜ୍ଝନ୍ତିକ କାଶ୍ମୀର ଏବଂ ଗାନ୍ଧାରରେ; ମହାଦେବ ମହୀଷମଣ୍ଡଳ (ମହୀଶୂର)ରେ; ରକ୍ଷିତ ବନବାସୀରେ (ଉତ୍ତର କନ୍ର ଜିଲ୍ଲା); ୟୋନଧର୍ମରକ୍ଷିତ ଅପରାନ୍ତରେ; ମହାଧର୍ମରକ୍ଷିତ ମହାରାଷ୍ଟ୍ରରେ; ମଜ୍ଝିମ ହିମାଳୟ ରାଜ୍ୟରେ; ଶୋଣ ଏବଂ ଉତ୍ତର ସୁବର୍ଣ୍ଣ ଭୂମିରେ ତଥା ଅଶୋକଙ୍କ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରା ସିଂହଳରେ ବୌଦ୍ଧଧର୍ମର ପ୍ରଚାର କରିଥିଲେ । ଏହି ପଦକ୍ଷେପ ଅଶୋକଙ୍କୁ ବୌଦ୍ଧଧର୍ମର ଏକ ମହାନ ପ୍ରଚାରକ ରୂପେ ପରିଗଣିତ କରିଥାଏ ।
ପ୍ରଜାବତ୍ସଳ ଶାସକ ରୂପେ କାର୍ଯ୍ୟାରମ୍ଭ :
କଳିଙ୍ଗ ଯୁଦ୍ଧ ପରେ ଅଶୋକ ବାହ୍ୟତଃ ବାଣିଜ୍ୟଗତ ଲାଭ ଉଦ୍ଦେଶ୍ୟରେ ହେଲେ ବି ପ୍ରଜାନୁରଞ୍ଜକ ଶାସକ ରୂପେ ନିଜକୁ ପ୍ରଦର୍ଶିତ କରିଥିଲେ । ବିଶେଷତଃ କଳିଙ୍ଗବାସୀମାନଙ୍କ ଆଗରେ ନିଜକୁ ପିତୃତୁଲ୍ୟ ଶାସକ ରୂପେ ପରିଚିତ କରାଇବାକୁ ଯାଇ ସେ ନିଜର କଳିଙ୍ଗ ଅନୁଶାସନରେ ଲେଖିଥିଲେ—
‘‘ସମସ୍ତ ମନୁଷ୍ୟମାନେ ମୋର ସନ୍ତାନ ସଦୃଶ । ମୁଁ ମୋ ନିଜ ସନ୍ତାନସନ୍ତତିମାନଙ୍କ ପାଇଁ ଇହଲୋକ ଏବଂ ପରଲୋକରେ ଯେମିତି ସୁଖ କାମନା କରେ, ତାହା ମୁଁ ସମସ୍ତ ମନୁଷ୍ୟମାନଙ୍କ ପାଇଁ କାମନା କରେ ।’’
ବାସ୍ତବିକ ଏଥିରୁ ସେ ଯେ ଜଣେ ପ୍ରଜାବତ୍ସଳ ସମ୍ରାଟ ଥିଲେ—ଏକଥା ନିଃସନ୍ଦେହରେ କୁହାଯାଇପାରେ । ପ୍ରଜାମାନଙ୍କର ମଙ୍ଗଳ ନିମିତ୍ତ ରାସ୍ତା ନିର୍ମାଣ, ବୃକ୍ଷ ରୋପଣ, ଚିକିତ୍ସାଳୟ ନିର୍ମାଣ ଇତ୍ୟାଦି କାର୍ଯ୍ୟ କରିଥିଲେ । ମାତ୍ର ଏହା ଥିଲା ଅନେକାଂଶରେ ଉଦ୍ଦେଶ୍ୟ ପ୍ରଣୋଦିତ । କାଳେ ଭବିଷ୍ୟତରେ କଳିଙ୍ଗର ଅଧୂବାସୀମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବେ, ସେହି ଭୟରେ ସେ ଏହି ବକ୍ତବ୍ୟ ଅନୁଶାସନରେ ଖୋଦିତ କରି କଳିଙ୍ଗର ଅଧୂବାସୀମାନଙ୍କୁ ସନ୍ତୁଷ୍ଟ କରିଥିଲେ । ତାଙ୍କରି ସେହି ଅନୁଶାସନରେ ସେ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁମାନେ ଉପଦ୍ରବ କରିବେ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ । ଏହା ମଧ୍ଯ ପ୍ରକାରାନ୍ତରେ କଳିଙ୍ଗବାସୀଙ୍କୁ ଯେ ଭୟଭୀତ କରିବା ପାଇଁ ଉଦ୍ଦିଷ୍ଟ ଥିଲା—ଏକଥା ନିଃସନ୍ଦେହରେ ଅନୁମାନ କରାଯାଇପାରେ । ତେବେ ସେ ଯାହାହେଉନା କାହିଁକି, କଳିଙ୍ଗ ଯୁଦ୍ଧ ପରେ ଅଶୋକ ନିଜକୁ ଏକ ପ୍ରଜାବତ୍ସଳ ଶାସକ ରୂପେ ପ୍ରତିଷ୍ଠା କରିପାରିଥିଲେ ।
କଳା ଓ ସ୍ଥାପତ୍ୟର ବିକାଶ :
କଳା ଓ ସ୍ଥାପତ୍ୟର ବିକାଶ ପାଇଁ ଅନେକ ଯନ୍ବାନ ହୋଇଥିଲେ କଳିଙ୍ଗ ଯୁଦ୍ଧ ପରେ । ପ୍ରଥମ ଥର ପାଇଁ ପ୍ରାଚୀନ ଭାରତ ଇତିହାସରେ କଳା ଏବଂ ସ୍ଥାପତ୍ୟ କ୍ଷେତ୍ରରେ ପ୍ରସ୍ତର ବିନିଯୋଗ ହୋଇଥିଲା । ବିଭିନ୍ନ ସ୍ତମ୍ଭ, ସ୍ତୂପ ଏବଂ ବିହାର ପ୍ରସ୍ତରରେ ନିର୍ମିତ ହୋଇଥିଲା । ମଥୁରା, ସାରନାଥ, ପ୍ରୟାଗ, ବୈଶାଳୀ, କୁଶୀନରା, ତକ୍ଷଶିଳା, ଅଯୋଧ୍ୟା, ଶାହାବାଜ୍ଗଡ଼ି, କନୌଜ, କୌଶାମ୍ବୀ ଇତ୍ୟାଦି ସ୍ଥାନରେ ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତୂପ ମୌର୍ଯ୍ୟକଳାର ଜ୍ଵଳନ୍ତ ନିଦର୍ଶନ । ତାଙ୍କ ସ୍ତମ୍ଭାନୁଶାସନରେ ବ୍ୟବହୃତ ହୋଇଥିବା ପାଲିଭାଷା ଭାରତରେ ସାଂସ୍କୃତିକ ଏକତା ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା ।
ବିଶ୍ବଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ଉଦ୍ଯମ :
ଅଶୋକ କଳିଙ୍ଗ ଯୁଦ୍ଧ ପରେ ଧର୍ମାଶୋକରେ ପରିଣତ ହୋଇଥିଲେ । ବିଶ୍ୱଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, ତାହା ବାସ୍ତବିକ ଅତୁଳନୀୟ । ସେ ଭାରତ ବାହାରର ଅନେକ ଦେଶକୁ ଶାନ୍ତି ପ୍ରସ୍ତାବ ପ୍ରେରଣ କରିଥିଲେ । ସେ ସିରିଆର ଶାସକ ଦ୍ବିତୀୟ ଆଣ୍ଟିଓଚୋସ୍, ମିଶରର ଶାସକ ଦ୍ଵିତୀୟ ଟଲେମି ଫିଲାଡେଲଫସ୍, ମାସିଡୋନିଆର ଶାସକ ଆଣ୍ଟିଗୋନାସ୍ ଇତ୍ୟାଦି ରାଜାମାନଙ୍କ ସହ ସମ୍ପର୍କ ସ୍ଥାପନ କରି ବିଶ୍ଵରେ ଅହିଂସାର ବାଣୀ ପ୍ରଚାର କରି ଦେଶ ଦେଶ ମଧ୍ୟରେ ମୈତ୍ରୀ ସ୍ଥାପନ ନିମିତ୍ତ ଉଦ୍ୟମ କରିଥିଲେ । ଅବଶ୍ୟ ତ୍ରୟୋଦଶ ଶିଳାଲେଖରେ ବର୍ଣିତ ଏହି ନାମଗୁଡ଼ିକ ଅଶୋକଙ୍କର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଯେ ଉଦ୍ଦିଷ୍ଟ — ଏହା ନିଃସନ୍ଦେହରେ କୁହାଯାଇପାରେ ।
[Page 6 / 106]
106 | ଭାରତ ଇତିହାସ
ବାସ୍ତବିକ କଳିଙ୍ଗ ଯୁଦ୍ଧ ଥିଲା ବିଶ୍ଵ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା । ଏହା ଥିଲା ଅଶୋକଙ୍କ ଜୀବନର ପ୍ରଥମ ଏବଂ ଶେଷ ଯୁଦ୍ଧ । ଏହା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା । ଏହି କଳିଙ୍ଗ ଯୁଦ୍ଧ ପରେ ଅଶୋକ ଏକ ବିଶାଳ ସାମ୍ରାଜ୍ୟର ଅଧୂପତି ହୋଇ ବିଶ୍ଵଭ୍ରାତୃତ୍ଵ ପ୍ରତିଷ୍ଠା କରିବା ପାଇଁ ମନୋନିବେଶ କରିଥିଲେ ।
ମୌର୍ଯ୍ୟ ଶାସନ
ମୌର୍ଯ୍ୟବଂଶର ପ୍ରତିଷ୍ଠା ସହିତ ସ୍ତୂପିକୃତ ଅନ୍ଧକାର ମଧ୍ୟରୁ ଭାରତ ଇତିହାସ କ୍ରମଶଃ ଆଲୋକର ବଳୟ ଆଡ଼କୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ନେଇ ଅଗ୍ରସର ହୋଇଥିଲା । ଏହି ବଂଶର ପ୍ରତିଷ୍ଠାତା ମହାନ୍ ନରପତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ ଏକ ବଳିଷ୍ଠ ଶାସନ ପ୍ରଣୟନ କରିଥିଲେ । ଏହି ମୌର୍ଯ୍ୟ ଶାସନ ପଦ୍ଧତି ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ରାଜାମାନଙ୍କ ଦ୍ଵାରା ଅନୁକରଣ କରାଯାଇଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମଗ୍ର ଭାରତକୁ ପ୍ରଥମ ଥର ପାଇଁ ଏକ ଶାସନର ଛତ୍ରଛାୟା ତଳେ ଏକତ୍ରିତ କରିଥିଲେ । କଳିଙ୍ଗ ଅଧୁକାର କରି ଅଶୋକ ରାଜ୍ୟ ବିସ୍ତାର ପର୍ବର ପରିସମାପ୍ତି ଘଟାଇ ଶାସନକୁ ପୁନଶ୍ଚ ବଳିଷ୍ଠ କରିଥିଲେ । ଏହି ଦୁଇ ନରପତି ମୌର୍ଯ୍ୟ ଶାସନକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିଥିଲେ ।
ସପ୍ତାଙ୍ଗ ତତ୍ତ୍ବ :
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜ୍ୟ ଓ ଶାସନ ସମ୍ପର୍କରେ କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ଏବଂ ମେଘାସ୍ଥିନିସ୍ଙ୍କ ‘ଇଣ୍ଡିକା’ରୁ ଜଣାପଡ଼ିଥାଏ । ପ୍ରାଚୀନ ଭାରତର ସର୍ବପ୍ରଥମ ସାର୍ବଭୌମ ସମ୍ରାଟ ରୂପେ ଚନ୍ଦ୍ରଗୁପ୍ତ ଏକ ନୂତନ ଶାସନ ପଦ୍ଧତି ପ୍ରଣୟନ କରିଥିଲେ । କୌଟିଲ୍ୟଙ୍କ ପ୍ରଣୀତ ‘ଅର୍ଥଶାସ୍ତ୍ର’ର ନୀତି ଅନୁସାରେ ଚନ୍ଦ୍ରଗୁପ୍ତ ରାଜ୍ୟଶାସନ କରୁଥିଲେ । ଏହି ତତ୍ତ୍ୱକୁ ‘ସପ୍ତାଙ୍ଗ ତତ୍ତ୍ୱ’ କୁହାଯାଉଥିଲା । ସାତଗୋଟି ଅଙ୍ଗକୁ ନେଇ ଶାସନ ବ୍ୟବସ୍ଥା ଗଠିତ ହୋଇଥିଲା । ଯଥା—
(୧) ସ୍ଵାମୀ (ରାଜା),
(୨) ଅମାତ୍ୟ (ମନ୍ତ୍ରୀ ପରିଷଦ),
(୩) ଜନପଦ (ରାଜ୍ୟ),
(୪) ଦୁର୍ଗ,
(୫) କୋଷ (ରାଜକୋଷ),
(୬) ଦଣ୍ଡ (ସୈନ୍ୟବାହିନୀ) ଏବଂ
(୭) ମିତ୍ର (ମିତ୍ରରାଷ୍ଟ୍ର) ।
ଏହି ସାତଗୋଟି ଗୁରୁତ୍ଵପୂର୍ଣ ଅଙ୍ଗ ଉପରେ ନିର୍ଭରଶୀଳ କରୁଥିଲା ମୌର୍ଯ୍ୟ ଶାସନ ।
କେନ୍ଦ୍ରଶାସନ :
ମୌର୍ଯ୍ୟମାନଙ୍କର ଏକ ବଳିଷ୍ଠ କେନ୍ଦ୍ର ଶାସନ ରହିଥିଲା । ତାହା ନିମ୍ନ ପ୍ରକାରର–
ମୌର୍ଯ୍ୟ ଶାସନରେ ରାଜା ଥିଲେ ଶାସନର କେନ୍ଦ୍ରବିନ୍ଦୁ । ସେ ଥିଲେ କ୍ଷମତାର ଉତ୍ସ, ଯୁଦ୍ଧ ତଥା ଶାନ୍ତି ସ୍ଥାପନର କଣ୍ଠଧାର ଏବଂ ନ୍ୟାୟର ନିର୍ଝରିଣୀ । ନିରଙ୍କୁଶ କ୍ଷମତାର ଅଧିକାରୀ ହେଲେ ମଧ୍ୟ ରାଜା ସ୍ଵେଚ୍ଛାଚାରୀ ନ ଥିଲେ । ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥା ଶାସ୍ତ୍ରସମ୍ମତ ବିଧୂକୁ ସମ୍ମାନ ଦେଇ ସେ ରାଜ୍ୟଶାସନ କରୁଥିଲେ । ରାଜ୍ୟରେ ସଂଘଟିତ ହେଉଥିବା ସମସ୍ତ ଘଟଣା ଉପରେ ସତର୍କ ଦୃଷ୍ଟି ରଖୁଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ ପ୍ରଜାମାନଙ୍କର ସୁଖ ସୁବିଧା ପାଇଁ ସଦାସର୍ବଦା ନିଜକୁ ନିୟୋଜିତ କରୁଥିଲେ । ଶାନ୍ତି ଶୃଙ୍ଖଳାର ରକ୍ଷା, ଯୁଦ୍ଧ ଏବଂ ଶାନ୍ତି ପ୍ରତିଷ୍ଠା, ମନ୍ତ୍ରୀମାନଙ୍କର ନିଯୁକ୍ତି, ନ୍ୟାୟ ପ୍ରଦାନ, ପ୍ରଜାମାନଙ୍କ ପ୍ରତି ବହୁବିଧ କର୍ଭବ୍ୟ ସମ୍ପାଦନ ଇତ୍ୟାଦି କର୍ମରେ ସେମାନେ ଲିପ୍ତ ରହୁଥିଲେ ।
ମନ୍ତ୍ରୀପରିଷଦ :
ରାଜାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏକ ମନ୍ତ୍ରୀପରିଷଦ ରହିଥିଲା । ଏହି ମନ୍ତ୍ରୀମାନଙ୍କୁ ବିଭିନ୍ନ ପରୀକ୍ଷା ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନିର୍ବାଚନ କରୁଥିଲେ । ଦକ୍ଷତା, ସଚ୍ଚୋଟତା, ଚରିତ୍ରବତ୍ତା, ଯୋଗ୍ୟତା ଇତ୍ୟାଦି ଭିଭିରେ ସେମାନେ ଉପନୀତ ହେଉଥିଲେ । ସେମାନେ ସଚିବ (ଅମାତ୍ୟ) ରୂପେ ପରିଚିତ ଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ନେଇ ଏକ ‘ଅନ୍ତଃ ପରିଷଦ’ (Inner Cabinet) ଗଠିତ ହୋଇଥିଲା । ସେମାନେ ହେଲେ–
(୧) ମହାମନ୍ତ୍ରୀ,
(୨) ମୁଖ୍ୟ ପୁରୋହିତ,
(୩) ସେନାପତି ଏବଂ
(୪) ଯୁବରାଜ ।
ଏମାନେ ରାଜ୍ୟର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ।
ଅଷ୍ଟାଦଶ ତୀର୍ଥ :
ମନ୍ତ୍ରୀପରିଷଦର ସମସ୍ତ ମନ୍ତ୍ରୀମାନଙ୍କୁ ‘ତୀର୍ଥ’ କୁହାଯାଉଥିଲା । ଚନ୍ଦ୍ରଗୁପ୍ତଙ୍କ ମନ୍ତ୍ରୀପରିଷଦର ୧୮ ଜଣ ମନ୍ତ୍ରୀ ଥିଲେ । ତେଣୁ ଏହାକୁ ଅଷ୍ଟାଦଶ ତୀର୍ଥ କୁହାଯାଏ । ସେମାନଙ୍କ ମଧ୍ୟରେ ଆଦି ଥିଲେ ଅନ୍ୟତମ ।
(୧) ମହାମନ୍ତ୍ରୀ (ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଥମ)
(୨) ମୁଖ୍ୟ ପୁରୋହିତ (ପ୍ରଧାନ ପୁରୋହିତ)
(୩) ସେନାପତି (ସେନାବାହିନୀର ମୁଖ୍ୟ)
(୪) ଯୁବରାଜ (ଜ୍ୟେଷ୍ଠ ରାଜପୁତ୍ର)
(୫) ଦୌବାରିକ (ଦ୍ଵାର ରକ୍ଷକ)
[Page 7 / 107]
କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 107
(୬) ଅନ୍ତର୍ବେଶିକ (ଅନ୍ତଃପୁର ରକ୍ଷକ)
(୭) ପ୍ରଶସ୍ତି (କାରାଗାର ମୁଖ୍ୟ)
(୮) ସମାହର୍ତ୍ତା (ମୁଖ୍ୟ ରାଜସ୍ୱ ସଂଗ୍ରାହକ)
(୯) ସନ୍ନିଧାତା (କୋଷାଧ୍ୟକ୍ଷ)
(୧୦) ପ୍ରଦେଷ୍ଟି (ପ୍ରାନ୍ତୀୟ ଶାସନ ନିରୀକ୍ଷକ)
(୧୧) ନାୟକ (ନଗର ରକ୍ଷକ)
(୧୨) ପୌର (କଟୁଆଳ)
(୧୩) ବ୍ୟବହାରିକ (ମୁଖ୍ୟ ବିଚାରପତି)
(୧୪) କର୍ମାନ୍ତିକ (ଖଣି ସମୂହର ମୁଖ୍ୟ)
(୧୫) ମନ୍ତ୍ରୀପରିଷଦାଧ୍ୟକ୍ଷ (ମନ୍ତ୍ରୀପରିଷଦର ମୁଖ୍ୟ)
(୧୬) ଦଣ୍ଡପାଳ (ଆରକ୍ଷୀ ଅଧୀକ୍ଷକ ବା ପୋଲିସ୍ ବିଭାଗର ମୁଖ୍ୟ)
(୧୭) ଦୁର୍ଗପାଳ (ଦୁର୍ଗରକ୍ଷକ)
(୧୮) ଅନ୍ତପାଳ (ସୀମାନ୍ତ ସୁରକ୍ଷା ବାହିନୀର ମୁଖ୍ୟ)
ଏହି ଅଷ୍ଟାଦଶ ତୀର୍ଥ ଥିଲେ ମୌର୍ଯ୍ୟ ଶାସନର ସ୍ତମ୍ଭ ସଦୃଶ । ଏମାନଙ୍କ ସାହାଯ୍ୟରେ ମୌର୍ଯ୍ୟ ଶାସନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉଥିଲା ।
ବିଭିନ୍ନ ବିଭାଗ :
ବିଭିନ୍ନ ନାମରେ ନାମିତ ତୀର୍ଥ ବା ମନ୍ତ୍ରୀମାନଙ୍କ ଦାୟିତ୍ୱରେ ଭିନ୍ନ ବିଭାଗ ରହିଥୁଲା । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଏହିପରି ୨୬ଗୋଟି ବିଭାଗର ନାମ ମିଳିଥାଏ । ଜଣେ ଜଣେ ତୀର୍ଥଙ୍କ ଦାୟିତ୍ଵରେ ଗୋଟିଏ ବା ତତୋଧୂକ ବିଭାଗ ରହିଥିଲା । ପ୍ରତ୍ୟେକ ବିଭାଗର ଜଣେ ଭାରପ୍ରାପ୍ତ ଅଧିକାରୀ ଥିଲେ ଏବଂ ସେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗକୁ ପରିଚାଳିତ କରୁଥିଲେ । ଉକ୍ତ ବିଭାଗ ସମ୍ପର୍କିତ ସମସ୍ତ ତଥ୍ୟ ସେ ମନ୍ତ୍ରୀଙ୍କୁ ପ୍ରଦାନ କରୁଥିଲେ । ବିଭାଗଗୁଡ଼ିକ ମଧ୍ୟରେ କୋଷାଗାର, ଖଣି, ଶସ୍ତ୍ର, ବୟନ, ଅବକାରୀ, ଚାରଣଭୂମି, ବ୍ୟବସାୟ, ବନ ଆଦି ଥିଲା ମୁଖ୍ୟ । ବିଭିନ୍ନ ଅଧୂකාරୀଙ୍କ ଅଧୀନରେ ବିଭାଗଗୁଡ଼ିକ ରହିଥିଲା । ସେମାନଙ୍କ ମଧ୍ୟରୁ ‘କୋଷାଧ୍ୟକ୍ଷ’, ‘ଲୌହାଧ୍ୟକ୍ଷ’, ‘ସ୍ଵର୍ଣ୍ଣାଧ୍ୟକ୍ଷ’, ‘ପଣ୍ୟାଧ୍ୟକ୍ଷ’ ଆଦି ଅନ୍ୟତମ ।
ସାମରିକ ଶାସନ :
ସାମ୍ରାଜ୍ୟ ବିସ୍ତାର ତଥା ସ୍ଥାୟୀ ଶାସନ ନିମିତ୍ତ ଏକ ବିଶାଳ ସୈନ୍ୟବାହିନୀର ଆବଶ୍ୟକତାକୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଉପଲବ୍ଧି କରିଥିଲେ । ତେଣୁ ସେ ଏକ ବଳିଷ୍ଠ ସୈନ୍ୟବାହିନୀ ଗଠନ କରିଥିଲେ । ମେଘାସ୍ଥିନିସ୍ଙ୍କ ବିବରଣୀରୁ ଜଣାଯାଏ ଯେ ଚନ୍ଦ୍ରଗୁପ୍ତଙ୍କର ୬୦୦,୦୦୦ ପଦାତିକ, ୩୦,୦୦୦ ଅଶ୍ୱାରୋହୀ, ୯,୦୦୦ ଗଜାରୋହୀ ସୈନ୍ୟ ଏବଂ ୮,୦୦୦ ରଥ ରହିଥିଲା । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ତାଙ୍କର ଏକ ନୌବାହିନୀ ଥିବା କଥା ଜଣାପଡ଼ିଥାଏ । ଅଶୋକଙ୍କ ସମୟରେ ସୈନ୍ୟ ସଂଖ୍ୟା ବଢ଼ିବାର ଅନୁମାନ କରାଯାଏ । ସୈନ୍ୟବାହିନୀର ମୁଖ୍ୟ ଥିଲେ ‘ସେନାପତି’ । ଏହାବ୍ୟତୀତ ‘ପ୍ରଶସ୍ତ’, ‘ନାୟକ’ ଏବଂ ‘ମୁଖ୍ୟ’ ସୈନ୍ୟବାହିନୀର ଅନ୍ୟାନ୍ୟ ପଦାଧିକାରୀ ଥିଲେ । ଉକ୍ତ ବିଭାଗ ପୁନଶ୍ଚ ୬ଗୋଟି ଉପବିଭାଗରେ ବିଭାଜିତ ହୋଇଥିଲା । ପ୍ରତ୍ୟେକ ବିଭାଗକୁ ୫ ଜଣ ସଦସ୍ୟ ନିରୀକ୍ଷଣ କରୁଥିଲେ । ଏହି ବିଭାଗଗୁଡ଼ିକ ହେଲା—
(୧) ପଦାତିକ,
(୨) ଅଶ୍ୱାରୋହୀ,
(୩) ରଥାରୋହୀ,
(୪) ଗଜାରୋହୀ,
(୫) ପରିବହନ, ବାଦ୍ୟ ଏବଂ ଶୁଶ୍ରୂଷା,
(୬) ନୌବାହିନୀ ।
ଏହି ଛଅଗୋଟି ଉପବିଭାଗ ଦ୍ଵାରା ମୌର୍ଯ୍ୟମାନଙ୍କର ସୈନ୍ୟବାହିନୀ ସୁନିୟନ୍ତ୍ରିତ ହେଉଥିଲା ।
ରାଜସ୍ୱ ବ୍ୟବସ୍ଥା :
ରାଜ୍ୟର ବହୁବିଧ ଉନ୍ନୟନ କାର୍ଯ୍ୟ ନିମିତ୍ତ ଚନ୍ଦ୍ରଗୁପ୍ତ ରାଜସ୍ୱ ଆଦାୟ ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ତାଙ୍କର ରାଜସ୍ୱ ଶାସନ ସମ୍ବନ୍ଧରେ ବିଶେଷ ରୂପେ ଜାଣି ହୋଇଥାଏ । ଭୂ-ରାଜସ୍ୱ ଥିଲା ରାଜ୍ୟର ମୁଖ୍ୟ ଆୟ । ଉତ୍ପନ୍ନ ଶସ୍ୟର ଏକ ଷଷ୍ଠାଂଶ (୧/୬) କର ଆକାରରେ ଆଦାୟ କରାଯାଉଥିଲା । ରାଜାଙ୍କର ଏହି ସଂଗୃହୀତ କରକୁ ‘ଭାଗ’ ବୋଲି କୁହାଯାଉଥିଲା । ଏହାବ୍ୟତୀତ ଖଣିଜ ଦ୍ରବ୍ୟ, ଆମଦାନୀ-ରପ୍ତାନୀ ଦ୍ରବ୍ୟ, ଜଙ୍ଗଲଜାତ ଦ୍ରବ୍ୟ, ଲବଣ, ଘୃତ, ତୈଳ, ମଦ୍ୟ ଆଦି ଦ୍ରବ୍ୟ ଉପରେ ଟିକସ, ଗଣିକାମାନ୍ଙ୍କଠାରୁ ଟିକସ ତଥା ଜୋରିମାନା ଆକାରରେ ଆଦାୟ ଅର୍ଥ ଏ ସମସ୍ତ ରାଜକୋଷକୁ ଯାଉଥିଲା । ଅଶୋକଙ୍କ ସମୟରେ ଉତ୍ପନ୍ନ ଶସ୍ୟର (୧/୮) ଅଂଶ କର ଆକାରରେ ଆଦାୟ କରାଯାଉଥିଲା ।
[Page 8 / 108]
108 | ଭାରତ ଇତିହାସ
ବିଚାର ବିଭାଗ :
ରାଜା ଥିଲେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସର୍ବୋଚ୍ଛ ନ୍ୟାୟାଳୟ । ସେ ଦେଉଥିବା ନ୍ୟାୟ କୌଣସି ବିଚାରପତିଙ୍କ ତର୍ଜମାର ପରିସର ମଧ୍ୟକୁ ଆସୁନଥିଲା । ବିଭିନ୍ନ ପ୍ରଦେଶ ତଥା ମୁଖ୍ୟ ନଗରଗୁଡିକରେ ଉଚ୍ଛ ନ୍ୟାୟାଳୟ ସ୍ଥାପନ କରାଯାଇଥିଲା । ଏହି ବିଚାରାଳୟ ଗୁଡ଼ିକର ପ୍ରଦତ୍ତ ନ୍ୟାୟକୁ ଜଣେ ଗ୍ରହଣ ନ କଲେ ସେ ରାଜାଙ୍କ ପାଖରେ ଫେରାଦ କରୁଥିଲା । ଗ୍ରାମଗୁଡ଼ିକର ନ୍ୟାୟ ପ୍ରଦାନ ନିମିତ୍ତ ଗ୍ରାମ ବୃଦ୍ଧମାନଙ୍କୁ ନେଇ ପଞ୍ଚାୟତ ଗଠିତ ହୋଇଥିଲା । ଘରୋଇ ବିବାଦ, ଚୋରି ତଥା ସ୍ଥାନୀୟ ଛୋଟ ଛୋଟ ଘଟଣା ସବୁର ସମାଧାନ ଏହି ପଞ୍ଚାୟତ ଦ୍ୱାରା ହେଉଥିଲା । ସମଗ୍ର ନ୍ୟାୟାଳୟଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଯଥା— ‘ଧର୍ମସ୍ଥାନୀୟ’ ଏବଂ ‘କଣ୍ଟକଶୋଧନ’ ।
ଦେବାନୀ ମୋକଦ୍ଦମାର ବିଚାର ନିମିତ୍ତ ଯେଉଁ ନ୍ୟାୟାଳୟଗୁଡ଼ିକ ସ୍ଥାପିତ ହୋଇଥିଲା, ସେଗୁଡ଼ିକୁ ‘ଧର୍ମସ୍ଥାନୀୟ’ କୁହାଯାଉଥିଲା । ଏହି ନ୍ୟାୟାଳୟର ବିଚାରପତିମାନଙ୍କୁ ‘ବ୍ୟବହାରିକ’ କୁହାଯାଉଥିଲା । ଏହି ନ୍ୟାୟାଳୟରେ ବିବାହ, ଛାଡ଼ପତ୍ର, ଚୁକ୍ତିନାମା, ଜମିକ୍ରୟ-ବିକ୍ରୟ, ଯୌତୁକ ଇତ୍ୟାଦି ସମ୍ବନ୍ଧୀୟ ମୋକଦ୍ଦମାଗୁଡ଼ିକ ପରିଚାଳିତ ହେଉଥୁଲା ।
ଫୌଜଦାରୀ ମୋକଦ୍ଦମାଗୁଡ଼ିକର ବିଚାର ନିମିତ୍ତ ଉଦ୍ଦିଷ୍ଟ ନ୍ୟାୟାଳୟଗୁଡ଼ିକୁ ‘କଣ୍ଟକଶୋଧନ’ କୁହାଯାଉଥିଲା । ଏହି ନ୍ୟାୟାଳୟର ବିଚାରପତିମାନଙ୍କୁ ‘ପ୍ରଦେଷ୍ଟା’ କୁହାଯାଉଥିଲା । ହତ୍ୟା, ଧର୍ଷଣ, ଚୋରୀ-ଡକାୟତି, ବଳପ୍ରୟୋଗ, ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥୁବା ଇତ୍ୟାଦି ଅପରାଧର ବିଚାର ଏହି ନ୍ୟାୟାଳୟଗୁଡ଼ିକରେ ହେଉଥିଲା । ଦୋଷୀମାନଙ୍କୁ ଅଙ୍ଗଚ୍ଛେଦନ ଏବଂ ମୃତ୍ୟୁ ଆଦି କଠିନ ଦଣ୍ଡରେ ଦଣ୍ଡିତ କରାଯାଉଥିଲା ।
ଗୁପ୍ତଚର ବ୍ୟବସ୍ଥା :
ଏକ ନିର୍ମଳ ତଥା ସୁସ୍ଥ ଶାସନର ପ୍ରବର୍ତ୍ତନ ନିମିତ୍ତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଗୁପ୍ତଚର ବ୍ୟବସ୍ଥାର ପ୍ରଚଳନ କରିଥିଲେ । ରାଜ୍ୟରେ ସଂଘଟିତ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ବିବରଣୀ ସେମାନେ ଚନ୍ଦ୍ରଗୁପ୍ତଙ୍କୁ ପ୍ରଦାନ କରୁଥିଲେ । ଏହାଫଳରେ ରାଜା ସମୟୋଚିତ ପଦକ୍ଷେପ ନେବାରେ ସକ୍ଷମ ହୋଇପାରୁଥିଲେ । ଏହି ଗୁପ୍ତଚର ଥିଲେ ଦୁଇ ପ୍ରକାରର; ଯଥା ‘ସଂସ୍ଥକ’ ଏବଂ ‘ସଂଚରକ’ ।
ସଂସ୍ଥକମାନେ ଦେବାଳୟ, ପୁଷ୍କରିଣୀ ଅଥବା କୌଣସି ହାଟ ଇତ୍ୟାଦି ନିର୍ଦ୍ଦିଷ୍ଟ ସ୍ଥାନରେ ଛଦ୍ମବେଶରେ ରହି ସଂଗ୍ରହ କରୁଥିବା ତଥ୍ୟକୁ ରାଜାଙ୍କୁ ଜଣାଉଥିଲେ । ସେମାନେ କାପଟିକ, ଉଦାସ୍ଥିକ, ଗୃହପତି, ବୈଦେହ (ବଣିକ) ତଥା ତାପସ ବେଶ ଧାରଣ କରୁଥିବା କଥା ‘ଅର୍ଥଶାସ୍ତ୍ର’ରୁ ଜଣାପଡ଼ିଥାଏ ।
ସଂଚରକମାନେ ଛଦ୍ମବେଶରେ ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରି ଯେଉଁ ସମ୍ବାଦ ପାଉଥିଲେ, ତାହା ରାଜାଙ୍କୁ ଜଣାଉଥିଲେ । ସେମାନେ ପରିବ୍ରାଜକ, ଭିକ୍ଷୁ, ତୀକ୍ଷ୍ଣ, ରସଦ (ସହପାଠୀ) ଇତ୍ୟାଦି ବେଶ ଧାରଣ କରି ଭ୍ରମଣ କରୁଥିଲେ । ଏହି ଗୁପ୍ତଚର ବ୍ୟବସ୍ଥା ପ୍ରଚଳନ ଫଳରେ ରାଜ୍ୟର ପ୍ରଜାମାନେ ରାଜଦ୍ରୋହୀ ବା ଦେଶଦ୍ରୋହୀ ହେବାକୁ ସକ୍ଷମ ହୋଇପାରୁ ନ ଥିଲେ । କାରଣ, ମୃତ୍ୟୁଦଣ୍ଡ ଏବଂ ନିର୍ବାସନ ଦଣ୍ଡ ଭୟରେ ସେମାନେ ଏ ପ୍ରକାର ଗର୍ହିତ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖୁଥୁଲେ । ଅନେକ କ୍ଷେତ୍ରରେ ନାରୀମାନଙ୍କୁ (ପରିବ୍ରାଜକ, ଭିକ୍ଷୁକୀ, ବୃଶଳୀ) ମଧ୍ୟ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଥିଲା । ଗୁପ୍ତଚରମାନଙ୍କ ଦ୍ଵାରା ଜନମତ ସହିତ ସଦାସର୍ବଦା ସମ୍ପର୍କ ରକ୍ଷାକରି ପ୍ରଜାମାନଙ୍କ ମନଜାଣି ଚନ୍ଦ୍ରଗୁପ୍ତ ଶାସନ କାର୍ଯ୍ୟ ସମ୍ପାଦନ କରୁଥିଲେ ।
ଜନହିତକର କାର୍ଯ୍ୟ :
ନିରଙ୍କୁଶ କ୍ଷମତାର ଅଧୁକାରୀ ହୋଇଥିଲେ ମଧ୍ଯ ଚନ୍ଦ୍ରଗୁପ୍ତ ସ୍ୱେଚ୍ଛାଚାରୀ ନ ଥିଲେ । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ର ନୀତି ଅନୁସାରେ ସେ ପ୍ରଜାମାନଙ୍କର ତୁଷ୍ଟି ନିମିତ୍ତ ବହୁ ଜନହିତକର କାର୍ଯ୍ୟମାନ କରୁଥିଲେ । ସନ୍ନିଧାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗନ୍ତାଘର, ଶସ୍ତ୍ରାଗାର, କାରାଗାର, କୋଷାଗାର ଇତ୍ଯାଦି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କରାଯାଉଥିଲା; ଯାହା ପ୍ରଜାମାନଙ୍କ ମଙ୍ଗଳ ନିମିତ୍ତ ଉଦ୍ଦିଷ୍ଟ ଥିଲା । ଉପଯୁକ୍ତ ପ୍ରାର୍ଥୀଙ୍କୁ ଚାକିରି ପ୍ରଦାନ, ବିଧବାମାନଙ୍କର ସଂରକ୍ଷଣ, ଅନାଥ ଶିଶୁମାନଙ୍କର ଲାଳନ ପାଳନ, ମନୁଷ୍ୟ ଏବଂ ପଶୁପକ୍ଷୀମାନଙ୍କ ପାଇଁ ଚିକିତ୍ସାଳୟ ସ୍ଥାପନ, ରାସ୍ତାଘାଟ ନିର୍ମାଣ, ପଥପ୍ରାନ୍ତରେ ଛାୟାପ୍ରଦ ବୃକ୍ଷରୋପଣ, କୂପ-ପୁଷ୍କରିଣୀ ଖନନ, କୃଷିର ସୁ-ବନ୍ଦୋବସ୍ତ ପାଇଁ କେନାଲ ଏବଂ ହ୍ରଦ ସୃଷ୍ଟି ଇତ୍ୟାଦି ପ୍ରଜାହିତକର କାର୍ଯ୍ୟରେ ଚନ୍ଦ୍ରଗୁପ୍ତ ନିଜକୁ ନିୟୋଜିତ କରିଥିଲେ । କୃଷିର ସୁବ୍ୟବସ୍ଥା ପାଇଁ ସେ ସୁଦର୍ଶନ ହ୍ରଦ ଖନନ କରିଥିବା କଥା ରୁଦ୍ରଦାମନଙ୍କ ଜୁନାଗଡ ପ୍ରସ୍ତରାଭିଲେଖରୁ ଜଣାପଡ଼ିଥାଏ । ‘ମହାମାତ୍ର’ ନାମକ ନୂତନ ରାଜକର୍ମଚାରୀ ନିଯୁକ୍ତ କରି ପ୍ରଜାମାନଙ୍କର ହିତ ସାଧନ ପାଇଁ ଦୃଷ୍ଟି ଦେବାକୁ ସେମାନଙ୍କୁ ଚନ୍ଦ୍ରଗୁପ୍ତ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସମୟରେ ମଗଧ ଏକ ସାର୍ବଭୌମ
[Page 9 / 109]
କଳିଙ୍ଗ ଯୁଦ୍ଧ : କାରଣ ଏବଂ ଫଳାଫଳ ଓ ମୌର୍ଯ୍ୟ ଶାସନ | 109
ହେବାର ସମ୍ମାନ ଲାଭ କରିବା ସହ ଜନକଲ୍ୟାଣକାରୀ ରାଷ୍ଟ୍ର ରୂପେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲା । ସମ୍ରାଟ ଅଶୋକ ଏହି ପନ୍ଥା ଅବଲମ୍ବନ କରିଥିଲେ ।
ପୌର ଶାସନ :
ମୌର୍ଯ୍ୟମାନେ ପୌରଶାସନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏ ସମ୍ପର୍କରେ ମେଘାସ୍ଥିନିସ୍ଙ୍କ ‘ଇଣ୍ଡିକା’ ସବିଶେଷ ଆଲୋକପାତ କରିଥାଏ । ପାଟଳୀପୁତ୍ରରେ ପ୍ରଚଳିତ ପୌରଶାସନ ନିମିତ୍ତ ୬ ଗୋଟି ବିଭାଗ ଗଠନ କରାଯାଇଥିଲା । ପ୍ରତ୍ୟେକ ବିଭାଗରେ ପାଞ୍ଚଜଣ ରାଜକର୍ମଚାରୀ ରହିଥିଲେ । ସେହି ବିଭାଗଗୁଡ଼ିକ ନିମ୍ନରେ ବର୍ଣନା କରାଯାଇଅଛି ।
(୧) ଶିଳ୍ପ ଏବଂ ହସ୍ତକର୍ମ ବିଭାଗ
(୨) ବୈଦେଶିକ ବିଭାଗ
(୩) ଜନଗଣନା ବିଭାଗ
(୪) ମାପ ଏବଂ ଓଜନ ବିଭାଗ
(୫) ପ୍ରସ୍ତୁତ ଦ୍ରବ୍ୟ ନିରୀକ୍ଷଣ ବିଭାଗ
(୬) କର ବିଭାଗ
ପ୍ରତ୍ୟେକ ବିଭାଗ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ଵକୁ ସୁଚାରୁ ରୂପେ ସମ୍ପାଦିତ କରୁଥିଲେ । ଏହା ଫଳରେ ପୌର ଶାସନ ସୁନିଶ୍ଚିତ ହୋଇପାରିଥିଲା ।
ପ୍ରାଦେଶିକ ଶାସନ :
ଚନ୍ଦ୍ରଗୁପ୍ତ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ସୃଷ୍ଟି କରିଥିଲେ । ଶାସନର ସୁବିଧା ନିମିତ୍ତ ସେ ନିଜ ରାଜ୍ୟକୁ ଚାରିଗୋଟି ‘ପ୍ରଦେଶ’ରେ ବିଭକ୍ତ କରିଥିଲେ । ଅଶୋକ କଳିଙ୍ଗ ଜୟ କରିବା ପରେ ଏହା ମଗଧ ସାମ୍ରାଜ୍ୟର ପଞ୍ଚମ ପ୍ରଦେଶ ରୂପେ ପରିଗଣିତ ହୋଇଥିଲା ।
(୧) ପ୍ରାଚ୍ୟ : ମଗଧ ସାମ୍ରାଜ୍ୟର ପ୍ରାଚ୍ୟ ଭାଗ ବର୍ତମାନର ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଇତ୍ୟାଦିକୁ ନେଇ ଗଠିତ ହୋଇଥିଲା । ଏହା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିଲା । ‘ପାଟଳୀପୁତ୍ର’ ଥିଲା ଏହାର ରାଜଧାନୀ ।
(୨) ଉତ୍ତରାପଥ : କାଶ୍ମୀର, ପଞ୍ଜାବ, ସିନ୍ଧୁପ୍ରଦେଶ, ବେଲୁଚିସ୍ଥାନ ଓ ଆଫଗାନିସ୍ଥାନକୁ ନେଇ ଉତ୍ତରାପଥ ଗଠିତ ହୋଇଥିଲା । ଏହାର ରାଜଧାନୀ ଥିଲା ‘ତକ୍ଷଶିଳା’ ।
(୩) ଅବନ୍ତୀପଥ : ସାମ୍ରାଜ୍ୟର ପଶ୍ଚିମ ପ୍ରଦେଶକୁ ଅବନ୍ତୀପଥ ନାମରେ ନାମିତ କରାଯାଇଥିଲା । ମାଳବ (ମାଲଓ୍ବା), ଗୁଜୁରାଟ ଏବଂ ରାଜସ୍ଥାନକୁ ନେଇ ଏହା ଗଠିତ ହୋଇଥିଲା । ଅବନ୍ତୀପଥର ରାଜଧାନୀ ଥୁଲା ‘ଉଜ୍ଜୟିନୀ’ ।
(୪) ଦକ୍ଷିଣାପଥ : ଆନ୍ଧ୍ରପ୍ରଦେଶ, ତାମିଲନାଡୁ ତଥା କର୍ଣାଟକର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ଦକ୍ଷିଣାପଥ । ଦକ୍ଷିଣାପଥର ରାଜଧାନୀ ଥିଲା ‘ସୁବର୍ଣ୍ଣଗିରି’ ।
(୫) କଳିଙ୍ଗ : ବର୍ତମାନର ଭୁବନେଶ୍ଵର ଠାରୁ ଜଉଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଛଳ । ଏହାର ରାଜଧାନୀ ଥିଲା ‘ତୋଷାଳୀ’ ।
ସାମ୍ରାଜ୍ୟର ସୁଶାସନ ପାଇଁ ‘ପ୍ରଦେଶ’ର ସୃଷ୍ଟି ହୋଇଥିଲା । ଏହି ପ୍ରଦେଶଗୁଡ଼ିକର ଶାସନ ପ୍ରାଦେଶିକ ଶାସନକର୍ତ୍ତାଙ୍କ ଉପରେ ନ୍ୟସ୍ତ ଥିଲା । ସାଧାରଣତଃ ସେମାନେ ରାଜକୁଳରେ ଜାତ ହୋଇଥିଲେ ଏବଂ ରାଜାଙ୍କର ସମ୍ପର୍କୀୟ ଥିଲେ । ସେମାନଙ୍କୁ ‘କୁମାର’ ବୋଲି ଅଭିହିତ କରାଯାଉଥିଲା ।
[Page 10 / 110]
110 | ଭାରତ ଇତିହାସ
ଶାସନର ସୁବିଧା ନିମିତ୍ତ ପ୍ରଦେଶଗୁଡ଼ିକୁ କେତେକ ‘ବିଷୟ’ (ଜିଲ୍ଲା)ରେ ବିଭକ୍ତ କରାଯାଇଥିଲା । ଜିଲ୍ଲା ବା ବିଷୟର ଶାସନକର୍ତ୍ତା ଥିଲେ ପ୍ରାଦେଶିକ । ‘ସ୍ଥାନିକ’ଙ୍କ ଦ୍ବାରା ପ୍ରତ୍ୟେକ ବିଷୟର କର ଆଦାୟ ହେଉଥିଲା । ସେମାନେ ତାଙ୍କର କାର୍ଯ୍ୟକଳାପ ନିମିତ୍ତ ସମାହର୍ତ୍ତାଙ୍କ ନିକଟରେ ଦାୟୀ ଥିଲେ । ଅବଶ୍ୟ ଶାସନ କ୍ଷେତ୍ରରେ ସ୍ଥାନିକଙ୍କୁ ‘ଗୋପ’ ନାମଧେୟ କର୍ମଚାରୀମାନେ ସହଯୋଗ କରୁଥିଲେ । ସେମାନେ ପାଞ୍ଚରୁ ଉଦ୍ଧ୍ୱର୍ ଏବଂ ଦଶ ମଧ୍ୟରେ ସୀମିତ ଗ୍ରାମଗୁଡ଼ିକର ଶାସନ ବ୍ୟବସ୍ଥା ପରିଚାଳନା କରି ଏ ସମ୍ପର୍କରେ ସ୍ଥାନିକଙ୍କୁ ଅବଗତ କରାଉଥିଲେ ।
ଗ୍ରାମ ଶାସନ :
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନର ସର୍ବନିମ୍ନ ଭାଗ ଥୁଲା ଗ୍ରାମ । ଗ୍ରାମଶାସନର ମୁଖ୍ୟ ଥିଲେ ‘ଗ୍ରାମିକ’ । ସାଧାରଣତଃ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ହିଁ ଏହି ପଦବୀରେ ନିଯୁକ୍ତ ହେଉଥିଲେ । ସେ ଥିଲେ ଜଣେ ଅବୈତନିକ କର୍ମଚାରୀ । ଖୁବ୍ ସମ୍ଭବତଃ ସେ ଗ୍ରାମର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହେଉଥିଲେ । କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଗ୍ରାମ ବୃଦ୍ଧମାନଙ୍କ ସମ୍ପର୍କରେ ଜଣାପଡେ । ସେମାନେ ସମସ୍ତେ ଗ୍ରାମସଭାର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟକରି ଗ୍ରାମୀଣ ସମସ୍ୟାଗୁଡ଼ିକର ସମାଧାନ କରିବାରେ ଗ୍ରାମିକଙ୍କୁ ସହାୟତା କରୁଥିଲେ । ଗ୍ରାମର ରାସ୍ତାଘାଟ ନିର୍ମାଣ, କୂପ, ପୁଷ୍କରିଣୀ ଖନନ ଏବଂ ସେଗୁଡ଼ିକର ଯତ୍ନ, ମନ୍ଦିରର ସୁରକ୍ଷା, ଜଙ୍ଗଲର ସୁରକ୍ଷା ଇତ୍ୟାଦି କର୍ମମାନ ଗ୍ରାମିକଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହେଉଥିଲେ । ପୂର୍ବ ବର୍ଦ୍ଧିତ ଗୋପ ନାମକ ରାଜକର୍ମଚାରୀ ଗ୍ରାମଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉଦ୍ଦିଷ୍ଟ ଥିଲେ ।
ଅଶୋକଙ୍କ ଦ୍ବାରା ନିଯୁକ୍ତ ନୂତନ କର୍ମଚାରୀ :
ଶାସନର ସୁପରିଚାଳନା ନିମିତ୍ତ ସମ୍ରାଟ ଅଶୋକ କେତେକ ନୂତନ କର୍ମଚାରୀ ନିଯୁକ୍ତ କରିଥିଲେ । ସେମାନେ ହେଲେ–‘ରାଜୁକ’, ‘ପ୍ରାଦେଶିକ’ ଏବଂ ‘ଯୁକ୍ତ’ (ୟୁକ୍ତ) । ସେ ଧର୍ମର ପ୍ରଚାର ନିମିତ୍ତ ଖ୍ରୀ:ପୂ: ୨୫୬ରେ ‘ଧର୍ମ ମହାମାତ୍ର’ (ଧମ୍ମ ମହାପାତ୍ର)ମାନଙ୍କୁ ମଧ୍ଯ ନିଯୁକ୍ତ କରିଥିଲେ । ‘ରଥୁକ’, ‘ପୁଳିଷ’ ଏବଂ ‘ପ୍ରତିବେଦିକ’ମାନେ ଥିଲେ ତାଙ୍କଦ୍ୱାରା ନିଯୁକ୍ତ ଅନ୍ୟାନ୍ୟ ରାଜକର୍ମଚାରୀଗଣ । ଅଶୋକଙ୍କ ସମୟରେ ରାଜୁକ କର ଆଦାୟ କରୁଥିଲେ ଏବଂ ଆଞ୍ଚଳିକ କୋଷାଧୂକାରୀ ଭାବେ ‘ଯୁକ୍ତ’ ନିଯୁକ୍ତି ପାଇଥିଲେ ।
ବାସ୍ତବିକ ମୌର୍ଯ୍ୟ ଶାସନ ଥୁଲା ସୁଦୃଢ଼ । କେନ୍ଦ୍ରରୁ ସବୁ ଶାସନମାନ ନିୟନ୍ତ୍ରିତ ହେଉଥିଲା । ଏହାସତ୍ତ୍ବେ ମଧ୍ଯ ମୌର୍ଯ୍ୟ ସମ୍ରାଟମାନେ ଥିଲେ ପ୍ରଜାବତ୍ସଳ । ମୌର୍ଯ୍ୟ ଶାସନର ଏହି ମହନୀୟତା ଅଶୋକଙ୍କ କଳିଙ୍ଗ ଶିଳାନୁଶାସନରୁ ଜଣାପଡ଼ିଥାଏ–
‘‘ସମସ୍ତ ମନୁଷ୍ୟମାନେ ମୋର ସନ୍ତାନ ସଦୃଶ । ମୁଁ ନିଜ ସନ୍ତାନ ସନ୍ତତିମାନଙ୍କ ପାଇଁ ଇହଲୋକ ଏବଂ ପରଲୋକରେ ଯେମିତି ସୁଖ କାମନା କରେ, ତାହା ମୁଁ ସମସ୍ତ ମନୁଷ୍ୟମାନଙ୍କ ପାଇଁ କାମନା କରେ ।’’
ସାରାଂଶ
୧. ଖ୍ରୀ.ପୂ. ୨୬୧ର କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନର ପ୍ରଥମ ଏବଂ ଶେଷ ଯୁଦ୍ଧ । ରାଜନୈତିକ, ଅର୍ଥନୈତିକ, ବାଣିଜ୍ୟିକ ଆଦି କାରଣ ତଥା କାରୁବାକୀ କିମ୍ବଦନ୍ତୀ ଏହି ଯୁଦ୍ଧ ପାଇଁ ପଥ ପରିଷ୍କାର କରିଦେଇଥିଲା । ଏହି ଯୁଦ୍ଧ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଏହାର ଫଳାଫଳ ଥିଲା ସୁଦୂରପ୍ରସାରୀ ।
୨. ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକଙ୍କ ବଳିଷ୍ଠ ନେତୃତ୍ବରେ ମୌର୍ଯ୍ୟ ଶାସନ ପରିପୁଷ୍ଟ ହୋଇଥିଲା । କେନ୍ଦ୍ରଶାସନରେ ସପ୍ତାଙ୍ଗ, ରାଜା, ତୀର୍ଥ, ମନ୍ତ୍ରୀପରିଷଦ, ରାଜସ୍ଵ ବ୍ୟବସ୍ଥା, ସାମରିକ ଶାସନ, ବିଚାର ବିଭାଗ, ଗୁପ୍ତଚର ବ୍ୟବସ୍ଥା, ଜନହିତକର କାର୍ଯ୍ୟ ଆଦି ଅନ୍ତର୍ଭୁକ୍ତ ଥିଲା ।
୩. ମୌର୍ଯ୍ୟ ସମୟର ପ୍ରାଦେଶିକ ଶାସନ ଉନ୍ନତ ଥିଲା । ସେହି ସମୟରେ ଭାରତ ବର୍ଷ ପାଞ୍ଚଗୋଟି ପ୍ରଦେଶରେ ବିଭକ୍ତ ହୋଇଥିଲା । ଅଶୋକ ନୂତନ କର୍ମଚାରୀମାନ ନିଯୁକ୍ତ କରିଥିଲେ । ରାଜୁକ, ପ୍ରାଦେଶିକ ଏବଂ ଯୁକ୍ତ ତଥା ଧର୍ମମହାମାତ୍ର ଏମାନଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରଜାବତ୍ସଳ ଶାସନ ପ୍ରଚଳନ କରିଥିଲେ ।

0 Comments:
Post a Comment
Subscribe to Post Comments [Atom]
<< Home